Revelation of John 16

ଈଶ୍ୱରଙ୍କ କ୍ରୋଧର ସପ୍ତ ପାତ୍ର

1ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ୱରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ ।

2ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା ।

3ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ ।

4ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହି ସବୁ ରକ୍ତ ହୋଇଗଲା । 5ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛି; 6ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରେ ଯୋଗ୍ୟ । 7ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ ।

8ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା । 9ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନପରିବର୍ତ୍ତନ କଲେ ନାହିଁ ।

10ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ; 11ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନପରିବର୍ତ୍ତନ କଲେ ନାହିଁ ।

12ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା । 13ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟା ଅପବିତ୍ର ଆତ୍ମା ବାହାରିଲେ; 14ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି ।

15ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ । 16ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ ।

ସପ୍ତମ ପାତ୍ର

17ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ୱର ହେଲା, ସମାପ୍ତ ହେଲା । 18ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା । 19ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୂଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ ।

20ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ । ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ (୪୦ କେ.ଜି) ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର ।

21

Copyright information for OriULB